Brushstrokes of Tradition: Master Pattachitra Painter Sadananda Mohapatra | ପାରମ୍ପରିକ ପଟ୍ଟିଚିତ୍ର ଶିଳ୍ପୀ ପରିବାର

Discover the vibrant world of Pattachitra, an ancient Odishan art form, through the eyes of Master Painter Sadananda Mohapatra. Hailing from Athagarh, Cuttack, Odisha, India. Sadananda's work is a testament to the region's rich cultural heritage. Dive into the stories, techniques and traditions that bring this timeless art to life.

2/9/2025

ଏଇଠି ଆଉ ଗୋଟିଏ କଥା ମନେ ପଡୁଛି। ରଥଯାତ୍ରା ସମୟରେ ସେ ଜଗନ୍ନାଥ, ବଳଭଦ୍ର ଆଉ ଶୁଭଦ୍ରାଙ୍କର ମୂର୍ତ୍ତୀ ତିଆରି କରିଥାଆନ୍ତି। ସେ ସେଇ ସବୁ ମୂର୍ତ୍ତୀ ଗଢ଼ନ୍ତି ଏକ ଭିନ୍ନ ଉପାଦାନ ରେ। ଗାଈର ଗୋବର ଆଉ ତା ସାଙ୍ଗରେ କଣ ସଵୁ ମିଶାଇ ସେଇଥିରେ ସେ ଜଗନ୍ନାଥ, ଵଳଭଦ୍ର ଆଉ ଦେବୀ ଶୁଭଦ୍ରା ଙ୍କ ମୂର୍ତ୍ତୀ ସଵୁ ଗଢ଼ନ୍ତି। ଗଢିବାରେ ତାଙ୍କୁ ବାଛି ହେବନାହିଁ। ସତରେ ତାଙ୍କର ହାତ ରେ ଭଗବାନଙ୍କ ଆଶୀର୍ବାଦ ଭରି ରହିଛି। ଅଦ୍ଭୁତ ସେ ହାତର କୃତି। ଆଉ ନିଖୁଣ ତାଙ୍କର ସୃଷ୍ଟି। ସେ ଅଭଙ୍ଗା କଣ୍ଡେଇ ସବୁ। ପଡିଗଲେ ସେ ସଵୁ ଭାଙ୍ଗେନାହିଁ। ରଥଯାତ୍ରା ସମୟରେ ସେଇ ସଵୁ ମୂର୍ତ୍ତିର ଚାହିଦା ବେଶୀ।

ଏଇଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ହେଲା କାଠରେ ତିଆରି ହୋଇଥିବା ଜଗନ୍ନାଥ, ଵଳଭଦ୍ର ଆଉ ଶୁଭଦ୍ରା ଙ୍କର ମୂର୍ତ୍ତୀ। ସେସବୁ ମୂର୍ତ୍ତୀ ସେ କେମିତି କରୁଥିଲେ ମୁଁ ଜାଣେନାହିଁ। କିନ୍ତୁ ନିଖୁଣ କାମ। କେମିତି ସେ ଗଢ଼ନ୍ତି ସେ କଳା କେବଳ ତାଙ୍କୁ ହିଁ ଜଣା। ଚିକଣ ଚାକଣ ମୂର୍ତ୍ତୀ ସବୁ। ଯେଉଁ ଠାକୁର ଙ୍କୁ ଯେମିତି ରଙ୍ଗ ଦେବା କଥା ସେମିତି ରଙ୍ଗ ଦିଆ ହୋଇଥାଏ। କି ସୁନ୍ଦର ସେ ମୂର୍ତ୍ତୀ ସଵୁ। ନିଜର ଆଖିରେ ନଦେଖିଲେ କେହି ବିଶ୍ୱାସ କରିଵେ ନାହିଁ। ମୋର ଏଵେବି ମନେ ଅଛି, ଆମେ ଜଗନ୍ନାଥ, ଵଳଭଦ୍ର ଆଉ ସୁଭଦ୍ରାଙ୍କ ମୂର୍ତ୍ତୀ ସଵୁ କିଣି ଆମ ଠାକୁର ଘରେ ରଖିଥିଲୁ। ସଵୁ ବର୍ଷ ରଥଯାତ୍ରା ସମୟରେ ଆମେ ଛୋଟିଆ ରଥଟିଏ କରି ସେଥିରେ ସେଇ ତିନୋଟି ମୂର୍ତ୍ତୀ ରଖି ରାସ୍ତାରେ ଟାଣି ରଥଯାତ୍ରା କରୁଥିଲୁ।

ତାଙ୍କ ତିଆରି ପଟ୍ଟି ଚିତ୍ର ଵିଷୟରେ ଲେଖିବା ପୂର୍ବରୁ ଆଉ ଗୋଟିଏ ଵିଷୟରେ ଲେଖିବା ଜରୁରୀ ବୋଲି ମନେ କରୁଛି। ସେହିଟି ଏଠାରେ ନଲେଖିଲେ ତାଙ୍କର କଳା ନୈପୁଣ୍ୟ ଵିଷୟରେ ଵର୍ଣ୍ଣନା କରିବା ଅପୂର୍ଣ୍ଣ ରହିଯିବ। ଆଠଗଡ ପଞ୍ଚୁଦୋଳ ଯାତ୍ରା ଵେଶ୍ ଜଣା ଶୁଣା। ଵହୁତ ଜନ ସମାଗମ ହୁଏ। ଆଖ ପାଖ ଵିଭିନ୍ନ ଗାଁ ମାନଙ୍କରୁ ଲୋକମାନେ ଆସନ୍ତି। ଯାତ୍ରା ଜମି ଯାଏ। ମୋର ଠିକ୍ ମନେ ଅଛି ସେହି ଯାତ୍ରାରେ ମୁଖା କିଣିବା କଥା। ତାର କାରିଗର ହେଲେ ସଦା ଚିତ୍ରକାର। କାଗଜ ତିଆରି ମୁଖା। ପରସ୍ତ ପରସ୍ତ କରି କାଗଜ ଯୋଡ଼ି ମୋଟା କାଗଜରେ ମୁଖା ତିଆରି ହୋଇଥିବ। ମଣିଷ ମୁହଁ, ଵାଘ ମୁହଁ, ଆଉ କେତେ ପ୍ରକାରର ମୁହଁ ର ମୁଖା ସବୁ। ମୁଖାରେ ସୂତା ଥିବ। ତାକୁ ମୁହଁ ଉପରେ ଵାନ୍ଧି ଆମେ ଯାତ୍ରା ରେ ଵୁଲୁ। ସାଙ୍ଗ ପିଲାମାନଙ୍କୁ ଡ଼ରାଉ। ଵେଶ୍ ମଜା ଲାଗେ। ଭାଵୁ ଯାହା ହେଉ ସଦା ଚିତ୍ରକାର ଯୋଗୁଁ ଏତିକି ତ ହୋଇ ପାରିଲା। ଏଵେ ଭାବୁଛି, ତାଙ୍କର ଵୁଦ୍ଧି କେତେ ତୀକ୍ଷ୍ଣ୍ ଥିଲା। କେତେ ପ୍ରକାର ର କଳା କାରିଗରୀ ତାଙ୍କୁ ଜଣାଥିଲା। ସେତିକି ଵିଚକ୍ଷଣ ନହୋଇଥିଲେ ଏ ସଵୁଥିରେ ସେ ପାରଦର୍ଶୀତା ଲାଭ କରି ପାରି ନଥାନ୍ତେ। ଏଡିକି ଟିକିଏ ମଣିଷ ହେଲେ କେଉଁ ଗୁଣରେ କମ ନଥିଲେ।

ସଦା ଚିତ୍ରକାର:

ମୋ ପିଲା ଦିନ କଥା କହୁଛି। ୧୯୫୦ ମସିହା କଥା। ମୋତେ ବୋଧହୁଏ ୧୧ ଵର୍ଷ । ଆଠଗଡ ହାଇସ୍କୁଲ ରେ ପଞ୍ଚମ ଶ୍ରେଣୀ ରେ ପଢୁଥାଏ। ଘରେ ଗଣେଶ ପୂଜା ହେଵ। ସେଥିପାଇଁ ମୂର୍ତ୍ତିଟିଏ ଆସିଵ। ସେତେବେଳେ ଆଠଗଡ ରେ ମୂର୍ତ୍ତି ଗଢିବା କାରିଗର ଜଣେ। ସଦାନନ୍ଦ। ସଦାନନ୍ଦ ମହାପାତ୍ର। ସଦା ଚିତ୍ରକାର ହିସାବରେ ସେ ଵେଶ୍ ଜଣା ଶୁଣା। ପାଞ୍ଚ ଫୁଟିଆ ମଣିଷ ଟିଏ। କ୍ଷୀଣ ଶରୀର। ଶ୍ୟାମଳ ରଙ୍ଗ। ଦେହର ତୁଳନା ରେ ମୁହଁ ଟି ଵଡ଼। ଧୋତି ଖଣ୍ଡିଏ। କଛା ମାରି ପିନ୍ଧା ହୋଇଥିଵ। ସେ ଵି ପୁଣି ଆଣ୍ଠୁ ଯାଏ। ଆଉ କାନ୍ଧ ରେ ଗେରୁଆ ଗାମୁଛା ଖଣ୍ଡିଏ। ଇଏ ହେଲା ତାଙ୍କର ଵେଶ। ଶାନ୍ତ ସରଳ ମଣିଷ ଟିଏ। ଦେଖିଲେ କେହି ଭାବି ଵି ଯେ ଏଇ ସାଧାରଣ ମଣିଷ ଟି ପାଖରେ ଏତେ ଗୁଣ ଅଛି। ସେତେବେଳର ଆଠଗଡ ଟାଉନ, ଟାଉନ କହିଲେ ଵି ଭୁଲ ହେବ। ଛୋଟିଆ ଯାଗାଟିଏ। ତାରି ମଝିରେ କତୋଟି ଛୋଟିଆ ଛୋଟିଆ ଦୋକାନ। ପାନ ଦୋକାନ, କେତୋଟି ତେଜରାତି ଦୋକାନ, କେତୋଟି ଜଳଖିଆ ଦୋକାନ ଯେଉଁଠି ଖାଲି ଵରା, ପିଆଜି ଆଉ ଵେଶୀ ହେଲେ ଲଡୁ ମିଳେ। ଆଉ ସେ ପୁଣି ବିକ୍ରି ହୁଏ ଖାଲି ସକାଳ ବା ସନ୍ଧ୍ୟା ରେ।

କାଗଜ ତିଆରି ମୁଖା ଆଉ କଣ୍ଡେଇ

ବିଜୟ ଙ୍କ ଦ୍ୱାରା ତିଆରି ବୋଇତ ବନ୍ଧାଣ ପଟ୍ଟିଚିତ୍ର

ସଦାନନ୍ଦ ଙ୍କ କର୍ମଶାଳା:

ଏଇ ବଜାର କୁ ଲାଗି ସଦା ଚିତ୍ରକାର ଙ୍କ ଘର। ଗଦା ସାହିରେ। ଗଦାସାଇ ରାସ୍ତା ଆରମ୍ଭରୁ ଵାମ ପଟକୁ ପାଦ ଚଲା ରାସ୍ତାଟିଏ। ସେଇଥିରେ ଟିକିଏ ତଳକୁ ଗଡିଗଲେ ତାଙ୍କର ଘର। ତିନି କି ଚାରି ବଖରା ଚାଳଘର। ଘରେ ପଶିଗଲା ବେଳକୁ ଖୋଲା ଅଗଣା ଟିଏ। ସେଇଟି ନୋହିଲେ ଘରର ଵାରଣ୍ଡା ହେଲା ସଦା ଚିତ୍ରକାର ଙ୍କ କର୍ମଶାଳା। ମୂର୍ତ୍ତୀ ତିଆରି ହେଉ ବା ପଟ୍ଟଚିତ୍ର ହେଉ ସଵୁ କାମ ତାଙ୍କର ସେଇଠି ଚାଲେ। ଵାରଣ୍ଡା କଡ଼କୁ ରଙ୍ଗ ସବୁ ଥୁଆ ହୋଇଥାଏ। ସଵୁ ରଙ୍ଗ ସେ ନିଜେ ତିଆରି କରନ୍ତି। ବାହାର ଦୁନିଆ ସାଙ୍ଗରେ ଆମର ତ ସମ୍ପର୍କ ନଥାଏ। ଇଆଡୁ ସିଆଡୁ ମିଶାମିଶି କରି ସେ ସବୁ ରଙ୍ଗ ତିଆରି କରନ୍ତି। ପ୍ରାକୃତିକ ଉପାଦାନ ରୁ ସେସଵୁ ତିଆରି। ସେ କାରସାଦି କେବଳ ତାଙ୍କୁହିଁ ଜଣା। କିନ୍ତୁ ତାଙ୍କର କାମ ଦେଖିବା କଥା। ନିଖୁଣ କାମ। ନିରୋଳା ଆଉ ପରମ୍ପରିକ ଶୈଳୀରେ ଗଢ଼ା । ଆଜିକାଲିକା ଢ଼ଙ୍ଗରେ ଯେମିତି ମୂର୍ତ୍ତୀ ସଵୁ ଗଢ଼ା ହେଉଛି ସେତେବେଳେ ସେସଵୁ ନଥିଲା। ସେତେବେଳର ମୂର୍ତ୍ତୀ ସଵୁ ଥିଲା ଶାସ୍ତ୍ର ସମ୍ମତ। ସଵୁ କଳା ନୈପୁଣ୍ୟ ପୁରି ରହିଥିଲା ତାଙ୍କଠି। ମୂର୍ତ୍ତୀ ଗଢିବାରେ ଯେମିତି ସିଦ୍ଧହସ୍ତ ପଟ୍ଟିଚିତ୍ର ଆଙ୍କିବା ରେ ସେମିତି ଦକ୍ଷ। ଅଦ୍ଭୁତ ତାଙ୍କର ହାତ ର କଳା। ସବୁ ଯେମିତି ଭଗବାନଙ୍କ ଆଶୀର୍ବାଦ।

ମୂର୍ତ୍ତୀ ଗଠନ:

ଗଣେଶ ପୂଜା ହେଉ, ଵା ସରସ୍ୱତୀ ପୂଜା ହେଉ, ଵା ଖୁଦୁରୁକୁଣୀ ପୂଜା ହେଉ, ଏ ସବୁ ପର୍ବ ପର୍ଵାଣି ରେ ତାଙ୍କ ଘରେ ଭିଡ଼ ଜମେ। ଗଣେଶ ମୂର୍ତ୍ତି ମାଟିରେ ତିଆରି। ସେ ମାଟି ସେ ନିଜେ ଆଣନ୍ତି। ପୋଖରୀ ପାଖରୁ ହେଉ ଵା ନଈ କୂଳରୁ ହେଉ, ଦେଖି ଚାହିଁ ମାଟି ସେ ନିଜେ ଆଣନ୍ତି। ତାଙ୍କରି ଦୁଆରେ ମାଟି ଥୁଆ ହୁଏ। ଗୋଡିବାଲି ବାଛି,ଚକଟା ଚକଟି କରି ସେଇମାଟିକୁ ମୃର୍ତ୍ତୀ ତିଆରି ପାଇଁ ପ୍ରସ୍ତୁତ କରନ୍ତି। ସେ ନିଜେ ମୂର୍ତ୍ତୀ ଗଢ଼ନ୍ତି। ମୂର୍ତ୍ତୀ ତିଆରି ସରିଲେ ମୂର୍ତ୍ତୀ ସଵୁ ଶୁଖିବା ପାଇଁ ଖୋଲା ଅଗଣା ବା ବାରଣ୍ଡାରେ ସେଗୁଡିକ ଥୁଆ ହୁଏ। ସାନ ଵଡ଼ ଵିଭିନ୍ନ ସାଇଜର ମୂର୍ତ୍ତି। ସବୁ ମୂର୍ତ୍ତି ଉପରେ ଛତିଟିଏ ଲାଗିଥିବ। ଶୁଖିବା ପରେ ରଙ୍ଗଦିଆ ଯାଏ। ଲାଲ, ହଳଦିଆ, ଗୋଲାପୀ, କଳା, ଧଳା , ଶାଗୁଆ ସବୁରଙ୍ଗର ସମାଵେଶ। ସେ ରଙ୍ଗ ସଵୁ ତାଙ୍କର ନିଜର ପ୍ରସ୍ତୃତି। ବିଭିନ୍ନ ପ୍ରକାର ଉପାଦାନ କୁ ସେ ରଙ୍ଗ ପ୍ରସ୍ତୁତ କରିଥାଆନ୍ତି। ରଙ୍ଗ ଦେଇ ସାରିବା ପରେ ଵେଶ୍ ସୁନ୍ଦର ଦେଖାଯାଏ। ଵେଶ୍ ଲୋଭନୀୟ ମୂର୍ତ୍ତି ସବୁ। ସଵୁ ମୂର୍ତ୍ତୀ ଭିତରୁ ଗୋଟିଏଵାଛିଵା ଆମ ପାଇଁ କଷ୍ଟ ହୋଇଥାଏ।

କାଠରେ ତିଆରି ହୋଇଥିବା ଜଗନ୍ନାଥ, ଵଳଭଦ୍ର ଆଉ ଶୁଭଦ୍ରା ଙ୍କର ମୂର୍ତ୍ତୀ

ଖୁଦୁରୁକୁଣୀ ପୂଜା ସକାଶେ ମା ମଙ୍ଗଳା ଙ୍କର ପଟ୍ଟିଚିତ୍ର

ପଟ୍ଟିଚିତ୍ର ଅଙ୍କନ:

ପଟ୍ଟିଚିତ୍ର ଅଙ୍କନ ଏକ ଭିନ୍ନ ପ୍ରକାରର ଚିତ୍ରଶୈଳୀ। ଏକ ନିଆରା ଚିତ୍ରକଳା। ପଟ୍ଟି ଚିତ୍ର ଓଡିଶା ର କୃତି। ଓଡ଼ିଶା ହେଲା ତାର ମୂଳ ଆଧାର। ଏହା ଓଡ଼ିଶା ର ଅନନ୍ୟ କଳା। ଏଵେ କିନ୍ତୁ ଏହି ଚିତ୍ରାଙ୍କନ ଭାରତ ର ପୂର୍ଵାଞ୍ଚଳ ରାଜ୍ୟ, ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳ ଓ ଵଙ୍ଗଳା ଦେଶରେ ମଧ୍ୟ ଦେଖାଯାଏ।

ବିଭିନ୍ନ ପୌରାଣିକ ଆଉ ଲୋକକଥା ଉପରେ ଆଧାରିତ କଥାଵସ୍ତୁକୁ ନେଇ ପଟ୍ଟିଚିତ୍ର ଅଙ୍କନ କରାଯାଇଥାଏ। ଏହାର ଅଙ୍କନ ପ୍ରଣାଳୀ ଜଟିଳ। ଏଇ ଚିତ୍ର ଅଙ୍କନ ପାଇଁ ଯେଉଁ ରଙ୍ଗ ଵ୍ୟବହାର କରାଯାଏ ତାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟର କଷ୍ଟସାଧ୍ୟ। ଏଇ ରଙ୍ଗ ସଵୁ ପ୍ରାକୃତିକ ଉପାଦାନ କୁ ପ୍ରସ୍ତୁତ କରାଯାଇଥାଏ। କାହାକୁ କାହା ସଙ୍ଗେ ମିଶାଇ ସେ ଵିଭିନ୍ନ ରଙ୍ଗ ସଵୁ ପ୍ରସ୍ତୁତ କରନ୍ତି ସେ କଳା କେଵଳ ତାଙ୍କୁହିଁ ଜଣା। କେଉଁଠୁ ସେ ଶିଖିଥିଲେ ତା ମୁଁ ଜାଣେନାହିଁ। ମତେ ତ ଲାଗେ ସତେ ଯେମିତି ସବୁ ଭଗଵତ ଦତ୍ତ। ଭଗବାନଙ୍କ କୃପା। ନୋହିଲେ ସେତେବେଳର ଆଠଗଡ ପରି ଏକ ଅନୁନ୍ନତ ଯାଗାରୁ ଏଭଳି ଏକ ସିଦ୍ଧହସ୍ତ ବିଚକ୍ଷଣ ଶିଳ୍ପୀ ବାହାରିବା ଏକ ଆଶ୍ଚର୍ଯ୍ୟ ର ଵିଷୟ ନୁହେଁ ତ ଆଉ କଣ !

ଖୁଦୁରୁକୁଣୀ ପୂଜା କଥା ଆଗରେ କହିଛି। ଏଇଠି ତାର ପର ପୁନରାବୃତ୍ତି କହିବାର କାରଣ କହୁଛି। ଖୁଦୁରୁକୁଣୀ ଓଷା କୁମାରୀ ଝିଅ ମାନେ କରନ୍ତି, ନିଜର ଭାଇ ମାନଙ୍କ ଶୁଭ କାମନା କରି ମା ମଙ୍ଗଳା ଙ୍କୁ ପୂଜା କରିଥାଆନ୍ତି। ଭାଦ୍ରବ ମାସରେ ସଵୁ ରବିବାର ଏ ପୂଜା ହୋଇଥାଏ। ସେତେବେଳେ ଆମର ଘର ମାନଙ୍କରେ ମା ମଙ୍ଗଳା ଙ୍କର ମୂର୍ତ୍ତୀ ପୂଜା ହେଉନଥିଲା। ପଟ୍ଟିଚିତ୍ର ପୂଜା ହୁଏ।

ସେ ପଟ୍ଟିଚିତ୍ର ସଦା ଚିତ୍ରକାର କରନ୍ତି। ପଟ୍ଟି ନିଜେ ତିଆରି କରନ୍ତି। ମୁଁ ଜାଣେନି ସେ ପଟ୍ଟି କିପରି ତିଆରି ହୁଏ। କିନ୍ତୁ ତାଙ୍କ ଠାରୁ ଯାହା ଶୁଣିଛି ସେଥିରେ ଵିଶ୍ଵାସ କରି ହୁଏନାହିଁ ଯେ ପଟ୍ଟିଟି ତିଆରି କରିବା ପାଇଁ ଏତେ ପରିଶ୍ରମ କରିବାକୁ ହୁଏ। ସତରେ, ସେତିକି ଧୈର୍ଯ୍ୟ ନଥିଲେ ପଟ୍ଟି ତିଆରି କରିବା ଆଉ ସେଥିରେ ମଙ୍ଗଳା ଙ୍କ ଛବି ଆଙ୍କିବା ଆଦୌ ସମ୍ଭଵ ହୁଅନ୍ତା ନାହିଁ।। ପଟ୍ଟିଚିତ୍ର ପାଇଁ ରଙ୍ଗ ତିଆରି ମଧ୍ୟ ସେ ନିଜେ କରନ୍ତି। ପ୍ରକୃତିରୁ ବିଭିନ୍ନ ଉପାଦାନ ଯଥା ଗଛପତ୍ର ଇତ୍ୟାଦି କୁ ନେଇ ସେ ରଙ୍ଗ ପ୍ରସ୍ତୁତ କରନ୍ତି। ସେ ରଙ୍ଗ ସଵୁ କିନ୍ତୁ ଚିରସ୍ଥାୟୀ। ସହଜେ ନଷ୍ଟ ହୁଏ ନାହିଁ। ସିଦ୍ଧହସ୍ତ ତାଙ୍କର। ନିୟମିତ ଅଭ୍ୟାସ, ନିଜର ବୁଦ୍ଧି ପ୍ରୟୋଗ କରି କାମ କରିବା ଆଉ ନିଜର ଆଗ୍ରହ ଆଉ ଅନ୍ତର ଦେଇ ଚିତ୍ର ପ୍ରସ୍ତୁତ କରିବା ତାଙ୍କର ଧର୍ମ। ପଟ୍ଟି ଚିତ୍ରର କେତୋଟି ନମୁନା ଏଠି ଦେଇଛି। ଏଗୁଡିକ କିନ୍ତୁ ଏବର। ତାଙ୍କର ପଟ୍ଟି ଚିତ୍ର କିନ୍ତୁ ଭିନ୍ନ ଥିଲା। ତାଙ୍କର ଚିତ୍ରାଙ୍କନ ଥଲା ତାଙ୍କର ନିଜସ୍ୱ ଚିନ୍ତା ଧାରା। ଆଉ ତାଵି ଥିଲା ଶାସ୍ତ୍ର ସମ୍ମତ। ମୁଁ ତ ଜାଣେନି ସେ କେତେ ଯାଏ ପାଠ ପଢିଥିଲେ। କିନ୍ତୁ କି ଵିଚକ୍ଷଣ ତାଙ୍କର ଚିତ୍ର ଆଙ୍କିବା ଶୈଳୀ। ଜଣେ ଦେଖି ନ ଥିଲେ ଵିଶ୍ଵାସ କରିବା କଷ୍ଟ। ସେଥିପାଇଁ ମନେ ହୁଏ ଯେ ପ୍ରଭୁଙ୍କର କୃପା ଆଉ ଆଶୀର୍ଵାଦ ନଥିଲେ ସେ ଏପରି ଏକ କଳାକାର ହୋଇ ନଥାନ୍ତେ। ତାଙ୍କର କଳା ନୈପୁଣ୍ୟ ଅଦ୍ୱିତୀୟ, ଅତୁଳନୀୟ। ସଦାନନ୍ଦ ମୋ ମନରେ ଏଵେ ସୁଦ୍ଧା ଅଛନ୍ତି, ଆଉ ରହିଥିଵେ। ଏପରି ଏକ ଅନନ୍ୟ ଶିଳ୍ପୀ ଙ୍କୁ କିଏ କେଵେ କଣ ଭୁଲି ଯାଇ ପାରେ। ଚିର ସ୍ମରଣୀୟ ହୋଇ ରହିଛନ୍ତି ସଦାନନ୍ଦ। ଶିଳ୍ପୀ ସଦାନନ୍ଦ ମହାପାତ୍ର।ସଦା ଚିତ୍ରକାର। ଆଠଗଡ ମାଟିର ଏକ ଚିର ସ୍ମରଣୀୟ

ଶିଳ୍ପୀ:

ଏଇଠି ଆଉ ଗୋଟିଏ କଥା ସଦା ଚିତ୍ରକାର ଙ୍କ ବିଷୟରେ ଉଲ୍ଲେଖ କରିବା ବାଞ୍ଛନୀୟ। ଆଗରୁ ଲେଖିଛି ଯେ ପ୍ରଭୁଙ୍କ କୃପା ଲାଭ କରି ନଥିଲେ ସେ ଚିତ୍ରକାର ର ଭାବରେ ପରିଚୟ ବା ମାନ୍ୟତା ପାଇ ନଥାନ୍ତେ। ପ୍ରଭୁ ଜଗନ୍ନାଥଙ୍କ ର ତାଙ୍କ ପ୍ରତି ଅପାର କରୁଣା ଥିଲା। ସେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ସେବକ ମାନ୍ୟତା ପାଇ ଥିଲେ। ଏବେ ଵି ତାଙ୍କର ପରିବାର ପ୍ରଭୁ ଜଗନ୍ନାଥ ଙ୍କ ସେଵକ ଭାବରେ ପରିଚିତ।

ଉଲ୍ଲେଖନୀୟ କଥା ହେଲା ସଦାନନ୍ଦ ଙ୍କ ପରିବାରରେ ଏହି କଳା, ସେହି ଐତିହ୍ୟ ଏଵେବି ଜୀବିତ। ସଦା ଚିତ୍ରକାରଙ୍କ ପରିବାର ପାରମ୍ପରିକ ପଟ୍ଟିଚିତ୍ର ଆଙ୍କିବାରେ ଵେଶ୍ ନିପୁଣ। ପିଢ଼ି ପରେ ପିଢ଼ି ଏହି ପାରମ୍ପରିକ ଚିତ୍ର କଳାରେ ଵେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ସଦାନନ୍ଦ ପୁଅ ସୁଦର୍ଶନ ଆଉ ସୁଦର୍ଶନଙ୍କ ପୁଅ ରଵି ନାରାୟଣ ତାଙ୍କର କଳା ନୈପୁଣ୍ୟ ପାଇଁ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି।

ସଦାନନ୍ଦ ଙ୍କ ଅଣନାତି ଵିଜୟ ମହାପାତ୍ର କେବଳ ରାଜ୍ୟ ସ୍ତରରେ ନୁହେଁ, ସର୍ଵଭାରତୀୟ ସ୍ତରରେ ତଥା ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇଛନ୍ତି। ଖାଲି ସେତିକି ନୁହେଁ, ପାରମ୍ପରିକ ପଟ୍ଟିଚିତ୍ର ଅଙ୍କନ ର ପ୍ରସାର କରିବା, ଆନୁଷ୍ଠାନିକ ଭାବେ ନିୟମିତ ଶିକ୍ଷା ଦାନ କରିବା ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା କରିଛନ୍ତି।

ସଦା ଚିତ୍ରକାର ଙ୍କ ପରିବାର ଗୋଟିଏ ଅନନ୍ୟ ପରିବାର। ଉଦାହରଣାତ୍ମକ ଵୈଶିଷ୍ଟଯୁକ୍ତ ପରିବାର। ଏକ ଖ୍ୟାତି ସମ୍ପନ୍ନ ପରିବାର। ପିଢ଼ି ପରେ ପିଢ଼ି ଏହି କଳା ର ପ୍ରସାର ପାଇଁ ଏଵେବି ତତ୍ପର। ସତରେ ସଦାନନ୍ଦଙ୍କ ପରିବାର ଏକ ବିରଳ ତଥା ଅସାଧାରଣ ପରିବାର।

ଡ଼କ୍ଟର ପ୍ରମୋଦ କିଶୋର ଦାସ

ଅଵସର ପ୍ରାପ୍ତ ପ୍ରଫେସର (ଅର୍ଥନୀତି ଵିଭାଗ)

ଏନ୍.ସି. ଇ. ଆର୍. ଟି., ଦିଲ୍ଲୀ।

ଅଭଙ୍ଗା ଗୋବର କଣ୍ଡେଇ

ODA
Connect
Connect with ODA

+91 8249880084

odisha.da19@gmail.com